Unknown

 

 

 

 

 

 

 

 

 

 

 

ଚିଟାଉ ଛାନ୍ଦ

ଉପେନ୍ଦ୍ର ଭଞ୍ଜ

 

ରାଗ–ଆଷାଢ଼ ଶୁକ୍ଲ

 

ପରମାନନ୍ଦ ଦୂତୀ ଆଗେ କହି । ପଠିଆନ୍ତି ଅତି ବିନୟ ହୋଇ ।

ପ୍ରାଣବନ୍ଧୁ ସେ ମୋ ଦୀନ ଦୋଷକୁ । ପରିଚାରଠାରେ କଲା ରୋଷକୁ ।

ପଚାରିବୁ ତାକୁରେ । ପରାଣ ଗଲେ ଋଷିବ କାହାକୁ ।୧।

ପାପ କରମେ ମୋ ଥିଲା ଏହିତା । ଫୋଡ଼ୁଛି ହୃଦ ହେବ କି କହିତା ।

ପିନଜଘନା ଜାଣୁ ଜାଣୁ ଯାହା । ପକ୍ଷେ ହେଲା ଭେଟ ନ ହେଲା ଆହା ।

ପଚାରିବୁ ତାକୁରେ । ପରାଣ ଗଲେ ଋଷିବ କାହାକୁ ।୨।

ପାଇ ଏତେ ଅନୁରାଗ ଅତନୁ । ପକାଇଲା ଶରେ ଚିରି ମୋ ତନୁ ।

ପିଣ୍ଡୁ ଛାଡ଼ିଗଲା ପ୍ରାଏ ଜୀବନ । ପଡ଼ିଲି ମୋହେ ସେ କଲା ଗମନ ।୩।

ପରି ଦିନ ଗଲି ଯମୁନା ଘାଟ । ପଡ଼ିଲା ଦଇବେ ତା ମୋର ଭେଟ ।

ପଛ କଥାମାନ ତହିଁକି ଥାଉ । ପିଠି କରି ସେ ନ ଚାହିଁଲା ଆଉ ।୪।

ପାଇଥିଲି ତାକୁ କରି ବରତ । ପାଶେ ଖଟିଥିଲି ଅନୁବରତ ।

ପରିଣତେ ବିମ୍ବାଧରୀ ବୁଝିକି । ପେଲିଦେଲା କାମନଦୀମଝିକି ।୫।

ପ୍ରଣୟମାନେ କାନ୍ତ ଦୁଃଖି ହୋଇ । ପ୍ରିୟାଭାବ ପ୍ରତିଦିନେ ଚିନ୍ତଇ ।

ପୁରତେ ଦୂତୀକି କହଇ ଭାଷା । ପ୍ରାଣପ୍ରଭୁ ସେ ମୋର ମୃଗଦୃଶା ।୬।

ପୁଷ୍ପକନନ୍ଦିନୀ ପ୍ରାଣଈଶ୍ୱରୀ । ପଲଙ୍କେ ଦିନେ ନିଦ୍ରା ତାପହରି ।

ପ୍ରବେଶ ତାର ସମୀପେ ହୁଅନ୍ତେ । ପଣନ୍ତେ ମୁଖ ଘୋଡ଼ାଇଲା ମତେ ।୭।

ପୁରପତରରେ ଆନନ୍ଦଦାୟୀ । ପଞ୍ଜରୀସାରୀପରି ଚାହିଁ ଥାଇ ।

ପକାଉଥାଇ ଏକା ମୋ ପ୍ରସଙ୍ଗ । ପଦ୍ମିନୀ କଲା କିପାଁ ତାହା ଭଙ୍ଗ ।୮।

ପୀରତିପାଦପେ ମତେ ଚଢ଼ାଇ । ପଛେ ମୂଳରୁ କାଟୁଛି କିପାଇଁ ।

ପଡ଼ିଲେ ଗଲାଟି ମୋର ଜୀବନ । ପ୍ରତିକାର ନାହିଁ ତା ବିନୁ ଆନ ।୯।

ପନ୍ଦର ବୟସୀ କୁନ୍ଦରଦନା । ପିନପୟୋଧରୀ ମିନନୟନା ।

ପିଠିକଲା ଦେଖି ମତେ ନାଗରୀ । ପଥରପରି କିପାଁ ତନୁ କରି ।୧୦।

ପାର୍ବତୀ ପତି ତପସ୍ୟା ଖଣ୍ଡନା । ପରମ ସୁନ୍ଦରୀ ମହୀମଣ୍ଡନା ।

ପୃଷତନେତ୍ରା କି ଆଣି ମନକୁ । ପାଳନା ନ କଲା ନିଜଦାସକୁ ।୧୧।

ପକ୍ଷୀଜନ୍ତୁ ଯେବେ ହୁଅନ୍ତି ମୁହିଁ । ପଡ଼ନ୍ତି ଛାମୁରେ ଉଡ଼ିଣ ଯାଇ ।

ପାଞ୍ଚୁଥାଇ ଏହା ଅନୁବରତେ । ପର କଲେ ସେ ବଞ୍ଚିବି କେମନ୍ତେ ।୧୨।

ପଞ୍ଜରେ ସେ ଦିନେ ଅନାଇଥିଲା । ପଥେ ଦେଖି ମତେ କି ବିଚାରିଲା ।

ପୁଡ଼ା ପକାଇଲା ଯାହା ସେ ଚାଣ୍ଡେ । ପଡ଼ିଲା ବଜ୍ର ଆସି ମୋର ମୁଣ୍ଡେ ।୧୩।

ପିନ୍ଧିଥିଲା ଦିନେ ନୀଳ ଅମ୍ବର । ପତ୍ରାବଳୀ ଦିଶେ କୁଚ ଉପର ।

ପାରୁଶେ ମୁ ଯାଇଁ ଯୋଡ଼ନ୍ତେ କର । ପାଲଟିବସିଲା ରମଣିବର ।୧୪।

ପ୍ରାଣଈଶ୍ୱରୀ ମୋ ଜୀବଜୀବନ । ପ୍ରୀତିଠାରେ ମୋତେ କଲା ଏମାନ ।

ପରାଣୁ ଅଧିକ ଯେ କରିଥିଲା । ପରପରା କରି ଅନ୍ତର କଲା ।୧୫।

ପଇଠ ଦେଇ ସଖି କରେ ଦିନେ । ପୁଷ୍ପ ତୋଳୁଥିଲା କୁସୁମ ବନେ ।

ପହଣ୍ଡ ଦଶରୁ ମତେ ଦେଖିଲା । ପୃଥ୍ୱୀପରେ ଦେଇଁ ଦୃଷ୍ଟି ରଖିଲା ।୧୬।

ପଙ୍କଜନୟନେ ଅଞ୍ଜନ ତାର । ପାନେ ପାଚି ଦାନ୍ତ ଦିଶେ ସୁନ୍ଦର ।

ପୂର୍ଣ୍ଣବିଧୂଆନନ ଦିଶେ ଶୋଭା । ପଦ୍ମହାସିନୀ ମୋ ମନକୁ ଲୋଭା ।୧୭।

ପରଭୃତ ସୂତ ଦ୍ରୋଣ ପରିରେ । ପ୍ରତିପାଳି ପ୍ରୀତି କଲା ପ୍ରକାରେ ।

ପୁଷ୍କର ମେଘର ଯେହ୍ନେ ଅଚ୍ଛନ୍ନ । ପ୍ରାଣପ୍ରିୟା ମତେ କଲା ତେସନ ।୧୮।

ପୁରୁବେ ମତେ ଦେଖି ବୋଲୁଥାଇ । ଫିଛଡ଼ା କିପାଇଁ ବହିଲା ବିହି ।

ପଡ଼ିଲାବେଳକୁ ମୋର ଅଭାଗ୍ୟ । ପଦ୍ମ ନେତ୍ରାର ଯେ ହେଲା ବୈରାଗ୍ୟ ।୧୯।

ପାଶକୁ ଗଲେ ମଉନେ ରହିଲା । ପ୍ରଶଂସା କଲେ ତାହା ନ ଶୁଣିଲା ।

ପାନ ଯାଚନ୍ତେ ନ ଘେନିଲା ଗୋରୀ । ପ୍ରମଦା ନିରାଶ କଲା ଏପରି ।୨୦।

ପିତୁଳା ସେ ମୋର ନେତ୍ରର ମଣି । ପ୍ରେମଶୀଳା ମୋତେ ଅଛି ସେ କିଣି ।

ପ୍ରପଞ୍ଚ କରି କହିବି କାହିଁକି । ପାରେନ୍ଦ୍ରମଧ୍ୟା ସେ ଜାଣି ନାହିଁ କି ।୨୧।

 

ପହରେଯାଏ ପଡ଼ିଥିଲି ପାଦେ । ପଡ଼ିଲେ କଥା ନ କହିଲା ପଦେ ।

ପାଇଲା ନାହିଁ ଅଳପକ ବ୍ୟଥା । ପାଥୋଜନୟନା ପୋତିଲା ମଥା ।୨୨।

ପ୍ରଦୋଷ ନୋହୁଁ ଦୂତ ବରଗାଇ । ପାଶକୁ ନେଇ ସେ ଆନନ୍ଦ ହୋଇ ।

ପଛେ ଏବେ ଘେନି ପିଶୁନ ଭାଷା । ପିୟଷହାସି କଲା ଲୋକହସା ।୨୩।

ପୁରନ୍ଦରପୁରେ ମହିଯାକରେ । ପାତାଳତଳେ ବିଧାତାଲୋକରେ ।

ପ୍ରୀତି ବୋଲନ୍ତେ ନାହିଁ ଆନସାର । ପୁଣି କିପାଁଇ କଲା ଏଡ଼େ ଦୂର ।୨୪।

ପାହୁଡ଼ ରଟ ଶୁଭନ୍ତେ ବୋଇଲା । ପଡ଼ିଲା ଧରା ମହତ୍ୱ ସରିଲା ।

ପୋଡ଼ୁ ପୀରତି କଲା ଏତେସରି । ପାସୋରିଲା କିପାଁ ଏବେ ଚତୁରୀ ।୨୫।

ପିଲାକାଳରୁ ଜାଣନ୍ତି ସଂସାରେ । ପୂର୍ଣ୍ଣଚନ୍ଦ୍ରମୁଖି ଦୟା ମୋଠାରେ ।

ପାଣି ଧରନ୍ତେ ଯାହା ଫିଙ୍ଗିଦେଲା । ପ୍ରଭୁପଣକୁ ଏଡ଼େ କି ଦିଶିଲା ।୨୬।

ପିଆଇଦେଇ ପିୟୁଷ ଅଧର । ପଚାରେ ଲାଗିଲା କେଡ଼େ ମଧୁର ।

ପଛେ କି କେ କଲା ଏଡ଼େକ ସରି । ପୁରୁଷ ହତ୍ୟାକୁ ମନେ ନ ଧରି ।୨୭।

ପୁଥୁ ରୋମକେତୁ ରତିକୁମର । ପଦାର୍ଥରତନ ରମଣିବର ।

ପରାଭବକୁ ପାଇ ତା ଉତ୍ତାରେ । ପକାଇଲା ନାହିଁ ମନେ ସେ ଥରେ ।୨୮।

ପଞ୍ଚଶରଗରଳକୁ ମୋହର । ପରଶୁକେଦାର ତରୁଣିବର ।

ପଦକପରି କରିଥିଲା ହୃଦେ । ପକାଇଦେଲା ଏବେ ଦୁଃଖ ନଦେ ।୨୯।

ପିକବଚନା ମୋ ଦୁଃଖମୋଚନା । ପୀବରଉରଜା ଧୀରା ନବୀନା ।

ପଚାରେ ଯିବା କି ହେଉଛି ମନ । ପଛକୁ ପକାଇଦେଲା ସେମାନ ।୩୦।

ପୁରାଈ ଅର୍ଦ୍ଧାଙ୍ଗ ହୋଇ ଗଉରୀ । ପାଆନ୍ତି କି ସୁଖ ବୋଲି ପଚାରି ।

ପଦ୍ମଳାକ୍ଷି ମୋର ସେ ଆଲିଙ୍ଗନେ । ପୟୋଧୁନକି ବାଞ୍ଛାଭାବ ମନେ ।୩୧।

ପାମର ଜନେ ହେଲେ କଲେ ନିନ୍ଦା । ପତିପଦର୍ଶନି ମୋର ସେ ଫନ୍ଦା ।

ପରାଏ କରିଥିଲା ନାରିବର । ପ୍ରାନ୍ତରେ କଲା ଏଡ଼େ ନାରଖାର ।୩୨।

ପ୍ରସୁନଶରରସେ ରମି ବାଳା । ପାହିଲେ ନିଶି ନ ଛାଡ଼େ ମୋ ଗଳା ।

ପୀଡା ପାଇଲ ବୋଲି କେଡ଼େ ଧନ । ପିଠିରେ ଠୁକୁଥାଇ ନଖ ମୁନ ।୩୩।

ପୁରୁଷ ବରେ ଦୟା କରିଥିଲେ । ପୂଜା ବଡ ପାଉନାହିଁ ସେ ଭଲେ ।

ପରିଜନେ କରି ଏଡ଼େ ଅଭାବ । ପ୍ରସିଦ୍ଧି ଏଥୁଁ କେତେ ଅରଜିବ ।୩୪।

ପହର ତିନି ରାତିରେ ମୁଁ ଯାଇଁ । ପ୍ରବେଶ ହେଲେ ସେ ଆନନ୍ଦ ହୋଇ ।

ପ୍ରଶଂସା କରେ ଆପଣାକୁ ଗୋରୀ । ପରତେ ନ ଥିଲା କଲା ଏପରି ।୩୫।

ପରମ ରସ ଭାବ ମୋର ହୃଦେ । ପ୍ରବାଳାଧରି ଭିଡ଼ି ଧରି ହୃଦେ ।

ପଙ୍କଜବଦନ ମୁଦେ କି ଆଶେ । ପୁଣି ରହିଲା କିପାଁ ମୋ ବିନାଶେ ।୩୬।

 

ପିଣ୍ଡରେ ମୋର ଥିବାରେ ଜୀବିତ । ପରାଣ ପ୍ରଭୁ ତୁମ୍ଭେ ମୋ ନିୟତ ।

ପ୍ରତି ପଦରେ ବୋଲେ ଏହି କଥା । ପୃଥୁଳ ନିତମ୍ବ । କଲା ଅନ୍ୟଥା ।୩୭।

ପୟୋଦକାଳରେ ଫିଛଡ଼ା ପଥେ । ପାଲଟି ଆସଇ ନାଗରୀ ମତେ ।

ପୋଛିଦିଅଇ ମୋ ଅଙ୍ଗ ରସନେ । ପୁରକୁ ନେଇ କେଡ଼େ ତୋଷମନେ ।୩୮।

ପରିହାସେ ବୋଲେ ନ ଛୁଁଅ ମତେ । ପଡ଼ିଲା ଦୁଚାଁ ଯୋଗ ଦିନାକେତେ ।

ପ୍ରଳୟ ପରି ମୁଁ ମଣନ୍ତେ ତାହା । ପଦକେ ମିଶଇ କେତକୀଦେହା ।୩୯।

ପଣନ୍ତ ମୁଖେ ଦେଇ ହସି କହେ । ପାହିଲାଣି ନିଶି ନ ଯିବ କିହେ ।

ପ୍ରମାଦ ଏଡ଼େ କିପାଁଇ କରୁଛ । ପ୍ରବୀଣା ଭଣେ ମହତ୍ୱ ସାରୁଛ ।୪୦।

ପୂର୍ବ ଦିନେ ଗଲେ ଦେଖି ସେ ହସି । ପାତକକୁ ଡର ନାହିଁ ସେ ଭାସି ।

ପ୍ରସନ୍ନହୋଇ ଭାସେ ନାନା ଭାବେ । ପ୍ରାଣେ ମୋ ପାଞ୍ଚୁଛି କିପାଇଁ ଏବେ ।୪୧।

ପ୍ରଥମସ୍ନାନ ହେବ କି ବୋଲନ୍ତେ । ପବିତ୍ରା ଅଙ୍ଗି ସେ ହସେ କିଞ୍ଚିତେ ।

ପୁଷ୍କର ସ୍ନାନ ଫଳ ଦେଇଅଛି । ପକ୍ୱବିମ୍ବୋଷ୍ଠି ଦେଲା ଏବେ ମୂର୍ଚ୍ଛି ।୪୨।

ପାହାନ୍ତିରେ ଶୁଣି କୁକ୍କୁଟ ନାଦ । ପଡ଼ୁଛି ବୋଲେ କେଡ଼େ ପରମାଦ ।

ପଲ୍ଲବାଧରି ହୁଅନ୍ତେ ତାଟକା । ପୁଣି କିପାଁଇ କଲା ଏଡ଼େ ଡକା ।୪୩।

ପୁଣ୍ୟ ମୋ ସୁଫଳ କରିବା ପାଇଁ । ପୁରୁଷାୟିତେ ସୁରତେ ରସାଇ ।

ପହୁଡ଼ି ହୃଦେ ମୋ ବୋଲେ ଅଙ୍ଗନା । ପୁରିଲା କି ତୁମ୍ଭମନକାମନା ।୪୪।

ପ୍ରବାସ ପଡ଼ିବାର ମୋର ଶୁଣି । ପୁରାଇ ନେତ୍ରେ ନୀର ବୋଲେ ବାଣୀ ।

ପୋଡ଼ୁ ହେବାର ଏଡ଼େ କଲବଲ । ପୀରତି ପହିଲେ ନ କଲେ ଭଲ ।୪୫।

ପ୍ରସଙ୍ଗେ ପଚାରୁଥାଇ ସେ ମୋତେ । ପତିଙ୍କି ରାମା ଋଷନ୍ତି କେମନ୍ତେ ।

ପାପ ବିଧାତାବଶରୁ ଏ ମାନ । ପାଶୋରି ମୋତେ କଲା ହୀନମାନ ।୪୬।

ପାଶରେ ଥିଲେ ମୋର ଦେବରାଜ । ପଦକ ପାଖେ କହେ ନାରୀରାଜ ।

ପ୍ରଭାତ ନୋହୁ ବୋଲେ ଥାଉ ରାତି । ପ୍ରାନ୍ତେ କିପାଁ କଲା ଏଡ଼େ ଅନୀତି ।୪୭।

ପାଶରୁ ମୋର ଯେତେବେଳେ ଯାଇ । ପହଣ୍ଡେ ପକାଇ ଦଣ୍ଡେ ରହଇ ।

ପାଲଟିଚାହୁଁ ଥାଇ ସେ ଆକୁଳେ । ପେଲିଦେଲା ମନୁ ସେ ସ୍ନେହ ଭଲେ ।୪୮।

ପଶମ କରିବାକୁ ଦୁଃଖତମ । ପ୍ରୀତିମଞ୍ଜୁଳ ରାମଚନ୍ଦ୍ର ନାମ ।

ପ୍ରେୟସୀପାଶେ ପେଶଇ ଦୁତିକି । ପୁରୁଷବର ସେ ଭାବେ ଏତିକି ।୪୯।

ପୁଣି ବୋଲଇ ରେ ପରାଣସହି । ପାରିଲେ ଏ କଷ୍ଟୁ ଉଦ୍ଧର ତୁହି ।

ପ୍ରୀତିବତ୍ସଳା ଆରେ ଥରେ କହ । ପ୍ରାଣ ବର୍ଜିବଟି ନନ୍ଦତନୟ ।୫୦।

ପୀତାମ୍ବରଠାରୁ ଏସନ ଶୁଣି । ପଥେ ଗମନ କଲା ଦୂତୀ ପୁଣି ।

ପ୍ରବେଶ ହେଲା ରାଧିକା ଭୁବନ । ପଦ୍ମଚରଣେ ଉପଇନ୍ଦ୍ର ଧ୍ୟାନ ।୫୧।

Image

 

କୃଷ୍ଣଦାସଙ୍କ ଦୃଷ୍ଟାନ୍ତ ଚଉତିଶା

ରାଗ–ବଙ୍ଗଳାଶ୍ରୀ

 

କମଳନୟନ ଦୂତୀ କର ଧରି କହନ୍ତି ବିନୟ କରି ।

କେଉଁ ଦୋଷକୁ ମୋ ବିଷୟରେ ରୋଷ କରିଅଛ ଜୀବେଶ୍ୱରୀ ।

କାରଣ ନ ଥାଇ ପ୍ରଭୁ କୋପ କଲେ ତହିଁକି ନାହିଁ ଉପାୟେ ।

କେବଳ ଜାଣିଲି କୁମତି ଗୁଆଁର କବିତ ବୁଝିଲା ପ୍ରାୟେ ।୧।

ମୀଣଉଦରୀ ଖଞ୍ଜରୀଟନୟନୀ ସେନେହ ବ୍ରଜ ସମାନ ।

ଖଳ ପୀରତି ମେଘଛାର ପ୍ରାୟେତ କ୍ଷଣକେ କରୁଛି ଆନ ।

କ୍ଷଣ କ୍ଷଣକେ ସେହି କଥା ସୁମରି ହେଉଅଛି ମହାଭୟେ ।

ଖୋଜିଲେତ ମୋତେ ବୁଦ୍ଧି ଦିଶୁନାହିଁ ପତିତପାବନରାଏ ।୨।

ଗଜଗମନି ମୋହଠାରେ ଏ ମାନ ଦିନେତ କରି ନ ଥିଲା ।

ଗୁଣିଛି ମନରେ କେ ଅବା ତାହାକୁ କେଉଁ ଉପଦେଶ ଦେଲା ।

ଗୁପତ କରି ପ୍ରିୟସଖା ଏତେହେଁ କହିବ ପିକଭାଷିକି ।

ଗଣ ଗଉରୀ ହୋଇ ସେ ଦିନ ତାର ଗିରି ଦେଶତଏ ସେ କି ।୩।

ଘନଜଘନିଯେ ଘେନି କହୁଥାଇ ତୁମ୍ଭେ ମୋ ନୟନତାରା ।

ଘନଜଘନ ଘନସାର ଚନ୍ଦନ କଣ୍ଠଗଜମୋତିହାରା ।

 

 

ଘୃଣାକ୍ଷରେ ଦିନେ ଘଟଣାଲପନି ଏମନ୍ତ ମୋତେ ବୋଇଲା ।

ଘନ ବିଜୁଳି ଘେନାଘେନି ପ୍ରାୟେତ ଏହିଠାରେ ସେ ହୋଇଲା ।୪।

ନବ ରସରେ ଯେ ରସିକ ନୁହଇ ସେହି ନାଶଇ ଯେ ବେଳେ ।

ନବ ସୁଧାକର ଆଦର ଯେମନ୍ତ ନ ଥାଇ ସର୍ବଦା କାଳେ ।

ନାହିଁ କିଛିରସସାରରୁ ମଧୁର ସେହି ପାକେ ହୋଏ ପିତା ।

ନାଗରୀରତନ ନୟନପ୍ରତିମା ପ୍ରତ୍ୟକ୍ଷେ କଲା ଏବେତା ।୫।

ଚାରୁ ଚାମିକର ଚମ୍ପକବରନି ଏହି ବାଟେ କାଲି ଗଲା ।

ଚନ୍ଦ୍ରଅବତଂସ ନନ୍ଦନ ଜନମ ତିଥି ଚନ୍ଦ୍ର ମୋତେ କଲା ।

ଚିତ୍ତେ ଚିତୋଇ ତା ଚରିତ ମୋହର ଅଙ୍ଗ ହେଉଅଛି ବଶ ।

ଚକ୍ଷୁ ପଲକ ଯେ ସହି ନ ପାରଇ ସେ କଲା ଏତେ ନିରାଶ ।୬।

ଛାଡ଼ି ନ ଯାଇ ଛାର ଜୀବ ରହିଛି ଶୁଣିବାକୁ ପୁଣି ଏହା ।

କ୍ଷଣେ ଯାହା ଶୁଣି ନ ଥିଲି ମୁଁ କର୍ଣ୍ଣେ ଭୂଷଣ କରିଛି ତାହା ।

ଛାଇପରା ହୋଇ ସେବିଲେତ ତାର ହୃଦୟ ନୋହିଲା ଜାଣି ।

ଛାଡ଼ିଲା ଡାକି କଦମ୍ବ ଫୁଲ ପ୍ରାୟେ ହେଲା କି ରମଣି ମଣି ।୭।

ଯେତେ ଭରଷା ଥିଲା ତାହାଠାରେ ମୋ ଦୟାଜଳନିଧି ବୋଲି ।

ଜାଣିତ ହୋଇଲା ଏହିଠାରେ ସବୁ ଯାହାର ଯେମନ୍ତ ଚାଲି ।

ଜଳେ କୁମୁଦିନୀ ଗଗନେ ଚନ୍ଦ୍ରମା ଥିଲେ ସେ ଯେମନ୍ତ ସୁଖୀ ।

ଜୀବ ପରମ ପ୍ରାୟେ ପ୍ରାଣବନ୍ଧୁଙ୍କ ନିକଟେ ଥିଲେ ନ ଦେଖି ।୮।

ଝସକେତନ କେଳିଚିନ୍ତାମଣିକି ଲଭି ହେଲି ଚିନ୍ତାମଣି ।

ଝଡ଼ଇ ନାହିଁ ତା ଦାରିଦ୍ର୍ୟ ଭଣ୍ଡାର ନିରନ୍ତରେ ହେଲେ ପୁଣି ।

ଝଳିଗଉରୀ ଶ୍ରୀମୁଖଚନ୍ଦ୍ରଠାରୁ ହସି ଅନାଇବା ଯାଏ ।

ଝିମଣ୍ଟେ ନୟନ ମନ ଛାଡ଼ୁନାହିଁ ରତନ ଝଟକ ପ୍ରାଏ ।୯।

ନୀରଦନୟନି ଅନେକ ଯତନେ ଘେନାଘେନି ହେଲେ ଦୂର ।

ନିଶ୍ଚୟେ ଜାଣିଲି ଭାବବତୀ ପ୍ରୀତି କୁମୁଦଚନ୍ଦ୍ର ଚକୋର ।

ନଯିବ ଜୀବ ଜୀବନ ଏମନ୍ତର କେତେ ସୁଦୟା ସେ କଲେ ।

ନଶଇ କି ପୂର୍ବ ସନ୍ତାପ ବହୁତ ଦାନ ବିରହରେ ଦେଲେ ।୧୦।

ଟେକେଣ ଟେକସ୍ତବିକି ମୁଁ ଭଜିଲି ଟାଣ ମନସିଜଭୟେ ।

ଟିକାଏ ସେ ଦୁଃଖ ନ ଭାଜିଲା ମୋର ହରମାଳିକାର ପ୍ରାଏ ।

ଟଙ୍କ ଅଧରି ରିପୁଟୋପେ ପଡ଼ି ମୁଁ ହେଲେ ହେଉଅଛି ହତ ।

ଟାଣ ମୁଖର ମୂର୍ଖମୂଖେ ପଡ଼ିଲେ ଯେସନେ ମହାକବିତ୍ୱ ।୧୧।

ଠାକୁରାଣୀ ପଣ ଏହିଠାରୁ ସବୁ ଜାଣି ହୋଇଲାଣି ସଖି ।

ଠିକ କରି ଯାହା ଦୋଷ ନ ବୁଝି ରୋଷ କଲା ଚନ୍ଦ୍ରମୁଖି ।

ଠାକୁର ହୋଇ କେ କଥାଏ କହିଲେ ସବୁରି ସେ ସନ ମତ ।

ଠିକ ଲୋକଙ୍କର କରେ ରଙ୍ଗ ଥିଲେ ଭ୍ରମେ ବୋଲାଇ ରଜତ ।୧୨।

ଡରୁଥାଇ ତୋର ମୁଖମଳିନକୁ ତାମ୍ବୁଳୀତାମ୍ବଳ ପ୍ରାଏ ।

ଡରୁ ଡରୁ ଦେଖ ଦଇବ କଷଣ ଗଲା କାମଦକା ଯାଏ ।

 

ଡୋଳାପିତୁଳି ଡାଳିମ୍ବବୀଜଦନ୍ତୀ ଡମ୍ବରୁମଝାକୁ କହ ।

ଡୋଳେ ଦେଖୁଁ ଦେଖୁଁ ଅତିହି ଦାରୁଣ ଡକାଇତ ପ୍ରାୟ ନୋହ ।୧୩।

ଢଗମେଲିବେ ଆଗ ଏହା ଶୁଣିଲେ ଏହି ଗୋପବଧୂମାନେ ।

ଢାକୁଣି ଫିଟିଲେ ଫେର ଧରି କରି ଉଭାରଇ ପାଣି ଯେହ୍ନେ ।

ଢାଳି ନୟନ ଯେ କହୁଥାଇ ବନ୍ଧୁ ଏକା ଯିବ ବେନି କାୟେ ।

ଢାଳେହେଁ ଜାଣିଲି କୃପଣ ଲୋଭିକି ଆଶା ଦେଖାଇଲା ପ୍ରାୟେ ।୧୪।

ଆଉ ଅଧିକ କି କହିବି ସଜନି ଦିନେ ଚନ୍ଦ୍ରରଜନୀରେ ।

ଅଙ୍କେ ବସି ମୋର ଅନ୍ତର ମଣିଲା ପୁଲକ ଘେନାଘେନିରେ ।

ଏବେ ଦଇବବଶରେ ସେହି ସ୍ନେହ ନିଉନ ହୋଇଲା ଏଡ଼େ ।

ଅବନିପତିର ମହା ସୈନ୍ୟ ଯେହ୍ନେ ପ୍ରକାଶଇ କାଚବାଡ଼େ ।୧୫।

ତୁମ୍ଭ ସଙ୍ଗତେ ଅଙ୍ଗହାର ପରାଏ କରିଛି ମୋତେ ସଙ୍ଗରୁ ।

ତୁ ଏବେ ତାହାକୁ ମଣାଇ କହ ସେ ହାରା ପରି ମୋତେ କରୁ ।

ତ୍ରିପୁରସୁନ୍ଦରି ତପନୀୟଗୋରି ହୃଦୟପଦକ ମୋର ।

ତାର ବିନୁ ସିଦ୍ଧ ଯୋଗୀ ପ୍ରାୟ ହୋଇ ବିଷୟ କରି ଅନ୍ତର ।୧୬।

ଥିର ଚମନ ବିମନ ହୋଇବାରୁ ଥୟ ନୋହେ ମୋର ମନ ।

ଥିର ନୋହେ ଯେହ୍ନେ ନବଘନ ଲତା ବନର ପଲ୍ଲବେ ବନ ।

ଥିର ମଣ୍ଡନାମଣ୍ଡଳ ଥାଉଁ ଯେବେ ହେଲା ମୋହର ଏ ଦଶା ।

ଥୁଳ ନିତମ୍ବାକୁ କହିବୁ ଏତେହେଁ ହେଲାଣି ଭଗାରିହସା ।୧୭।

ଦ୍ୱିରଦଗମନି ଦ୍ୱିଜରାଜମୁଖି ଅଦୟା ଅରି ସଦୃଶେ ।

ଦହି ହେଉଛି ଦାରୁଣ ଅବିବେକ ଦୁଆରଭିକ୍ଷୁକ ଆଶେ ।

ଦୂରୁ ଦେଖି ଯେବେ ଦେବକୁ ଚାହିଁବା ଦିଅଇ ରତ୍ନମାନଙ୍କୁ ।

ଦେବତାଙ୍କୁ ଚିତ୍ରପ୍ରତିମା କରଇ ଏ ନିକି ଚିତ୍ର ତାହାକୁ ।୧୮।

ଧରଣିରେ ମିନ ଜୀବନ ପରାୟେ ଧାତା ମୋତେ ତାକୁ କଲା ।

ଧରିଛି ଜୀବନ ତା ବିନୁ କେମନ୍ତେ ନୋହେ କି ବିଚିତ୍ର ଭଲା ।

ଧ୍ୱଂସି ହେଲା କାମଅନଳେ ମୋ ଦୁଃଖ ନ ଘେନିଲା ଧୃତିମଣି ।

ଧୃବ ଏକଥା ବ୍ୟାଧିବନ୍ତ ଆରତ ବାଦ୍ୟଠାରେ ନାହିଁ ପୁଣି ।୧୯।

ନାଗରିରତନ ଅନ୍ତକାରି ଅନ୍ତପାଟ ପ୍ରାୟେ ହୋଇ ରହି ।

ବରଷି ଯାଉଛି ଉତ୍ସହା କରିଛି ଦର୍ଶନ ସୁଖ ନ ହେଇ ।

ନବଘନକୁ ଚାତକ ପକ୍ଷୀ ପ୍ରାୟେ ତାହାକୁ ମୋହର ଆଶା ।

ନିଶ୍ଚୟେ ଯେବେ ସେ ନିରାଶକରିବେ ତେବେ ମୋ ନିଧନଦଶା ।୨୦।

ପ୍ରମାଣୁ ଦୟା ଜଳନିଧି ବୋଲି ସେ ପ୍ରମାଦ ମୋଠାରେ କଲା ।

ପଶୁପତିରିପୁସନ୍ତାପଥନଳେ ପକାଇ ଅଲଗା ହେଲା ।

ପ୍ରାଣବାନ୍ଧବୀ ପରିତ୍ରାହି ନ କଲେ ନିଶ୍ଚେ ଜୀବ ଯିବ ଚଳି ।

ପଙ୍କଜ କରି ଦରଶନେ ଯେସନେ ଫୁଟିଲା ଗଙ୍ଗଶିଉଳି ।୨୧।

ଫାଇକାଳରୁ ମୁ ଫନ୍ଦା କରିଥିଲି ଏବେ କମଳମୁଖିକି ।

ଫଳ ଥାଉ ମୂଳ ଭୋଗତ ହେଉଛି ଫୁଲବିଶିଖପତିକି ।

 

ଫାଇ କି କହିବି କର୍ମ ଅବଳକୁ ଫେଡ଼ିବ କେ ମୋର ଦୁଃଖ ।

ଫୁଲ ବାହାରେ ଆନନକି ପୁରୁଣା କରି ପାରେ ଶିରିମୁଖ ।୨୨।

ବିଧୁବଦନୀ ବିନୁ ବିଧୁ ଚନ୍ଦ୍ରମା ଚନ୍ଦନ ବିଧୁ ମୋହରେ ।

ବାଳିଶନଗରେ ପଣ୍ଡିତ ପରାୟେ ବୁଲିଲେ ଦିନ ନ ସରେ ।

ବିହି ହେଲା ଦାସଜନଠାରେ ଶେଷ ଯେବେ କଲା ରସବତୀ ।

ବାତରହିତ ବୋଇତ ପରା ହୋଇ ଆଉ କି ମୋହର ଗତି ।୨୩।

ଭରସା କେବଳ ତୋହଠାରେ ଏତେ କହିବୁ ମୋ ଦୁଃଖ ଘେନି ।

ଭାଗ୍ୟ ଥିଲେତ ଭବରିପୁତାପରୁ ତାରିବ ମନମୋହିନୀ ।

ଭାବିନି ମୋତେ ଭିନ୍ନ ଭିନ୍ନ ନ କରୁ ଭରାନ୍ତି ନ କରି କିଛି ।

ଭାବନିଧିଠାରେ କର ପ୍ରାୟେ ହୋଇ ଦ୍ରବ କଠିନତା ଅଛି ।୨୪।

ମେଘ ଚନ୍ଦ୍ର ବିନୁ ଚାତକ ଚକୋର ଜୀଅନ୍ତି ଆନନ ଉପାୟେ ।

ମହିମଣ୍ଡନୀ ପୁଣି ମୋର ଏମନ୍ତ ମଧୁକରମଧୁପ୍ରାୟେ ।

ମୁଦିରନୟନ ଘେନାଘେନି ଭାବ ଅମୃତ କ୍ଷୀର ସମାନ ।

ମଗଳକେତନ ମାନସ ସଦନ ପ୍ରାୟେ କଲା ଭିନ୍ନ ଭିନ୍ନ ।୨୫।

ଜାଣୁମଣି ମୋତେ ଗୁରୁ ବାମ ହୋଇ ବାମଦେବ ବାମ କରେ ।

ଯାହା ସେ ଲଘୁରେ ଲଘୁ କରାଇଲା ଅଲୋକିତ ସେ ଲୋକରେ ।

ଜାଣିଥିଲି ତାର ହୃଦ ଅନୂରାଗ ସେଫାଳିକାଫୁଲ ପ୍ରାୟେ ।

ଜାଣୁ ଜାଣୁ ଏବେ ଗଲା ସେ ସ୍ଫଟିକ ସଙ୍ଗତେ ତୁଳିବା ଯାଏ ।୨୬।

ରଙ୍ଗତା ଘେନିଲେ ସେ ଅତି ଦୁର୍ଲ୍ଲଭ ହୋଏ ବିଷାଦେ ବିଷାଦେ ।

ରମଣିମଣି ମଣି ସେହି ମତିରେ ସରାଗ କଲାକ ଖେଦେ ।

ରଙ୍କ ରତ୍ନ ପାଇ ପକାଇଲା ପ୍ରାୟେ ତୁଣ୍ଡୁ ନ ଆସଇ ଭାଷା ।

ରଖିଥିଲା ବିହ ମୋହପାଇଁ ନିକି ରଥାଙ୍ଗରଜନୀଦଶା ।୨୭।

ଲେସେ ତାର ମୋର ଅନ୍ତର ନ ଥିଲା ଚକ୍ଷୁପଲକ ଯେମନ୍ତ ।

ଲୋକନାଥ ବସେ ଏବେ ସେ ହୋଇଲା ଆକାଶକୁସୁମମତ ।

ଲୋନେ ଶ୍ରବଣ ମଣ୍ଡନ ଖଣ୍ଡନ କରିବ ଯେବେ ବିଷାଦ ।

ଲମ୍ବଉଦରକୁ ଲକ୍ଷେ ଲଡ଼ୁ ଦେବି ସେ ଯେବେ ଦେବେ ପ୍ରସାଦ ।୨୮।

ବାଡ଼ ପ୍ରାୟେ ହୋଇଥିଲେ ପ୍ରତିଚକ୍ଷୁ ଯେମନ୍ତ ବର୍ଣ୍ଣ ଦିଶଇ ।

ବାମଲୋଚନା ସେହିମତି ଅନ୍ତରେ ଥିଲେ ନେତ୍ରେ ବିକାଶଇ ।

ବହୁତ ପଦ ହୋଏ ଇନ୍ଦ୍ରପଦବୀ ସ୍ୱପନେ ପାଇଲା ପ୍ରାୟେ ।

ବାଞ୍ଛାଧନପ୍ରାୟେ ମନକୁ ନ ଆସେ ହୃଦୟ କରିଛି କ୍ଷୟେ ।୨୯।

ଶମନ ସମ ନ ସମ ଅଦୟାଳୁ ତାହାଠାରେ କି ବିନୟେ ।

ସମ୍ଭବଇ ଏବେ ତାହାକୁ ନାଶଇ ଲୋହା ପାଷାଣ ପରାୟେ ।

ସମର୍ପି ହୋଇ ତୋତେ କେତେ କହିବି ତୁ ତ ସବୁ ଗୁଣ ସୀମା ।

ସଭାସଦପ୍ରାୟେ ଉଚିତ କହି ତୁ ଦୋଷ କରାଅ ଯେ କ୍ଷମା ।୩୦।

ସବୁ ଅନୁଭବ ଏହିଠାରେ ହେଲା ଶଶୀମୁଖିମହିମାରୁ ।

ସୁଖଦାୟିନୀ ସନ୍ତୋଷ ହୋଇ ଏବେ ପାଶେ ନେଇ ଦାମ କରୁ ।

 

ସରିସୃପକୁ ପୟ ଦେଲା ପ୍ରାୟେକ କନ୍ଦର୍ପକୁ ଦେଲା ଜୟେ ।

ସ ହୋଇ ଦୁଇ ଆଡ଼କୁ କାଟିଲା ଶଖାରି କରତ ପ୍ରାୟେ ।୩୧।

ସଜନି ସେ ତୋତେ ପ୍ରଥମେ ଦେଖିଲେ ହୋଇବ ଗୁଞ୍ଜ ସମାନ ।

ସବୁ ଅଙ୍ଗେ ଅନୁରାଗ ପୂର୍ଣ୍ଣକରି ମୁଖେ ବିକାଶିବ ଆନ ।

ସେହି ସମୟ ପକ୍ଷକରି ଯେବେ ତୁ କହିବୁ ମୋର ସନ୍ଦେଶ ।

ସୁଜନ ଜନ ଉପଦେଶ ପାଇଲା ପରାୟେ ହେବ ସନ୍ତୋଷ ।୩୨।

ହରିଣନୟନୀ ପୟପେଟୀ ପ୍ରାୟେ ବାହାରକୁ ସେ କର୍କଶ ।

ହୃଦୟଯାକ ପରିପୂର୍ଣ୍ଣ ହୋଇଛି ସୁମଧୁର ଘନରସ ।

ହଂସଗମନୀପାଶକୁ ତେଣୁ ତୋହ ସଙ୍ଗତେ ମନକୁ ଦେଇ ।

ହୃଦୟଯାକ ଶୂନ୍ୟ କରିଅଛି ମୁଁ ଶଙ୍ଖସ୍ୱରୂପକୁ ଧ୍ୟାୟି ।୩୩।

କ୍ଷମେ ଚଳ ମୁଁ ଏହି କୁଞ୍ଜେ ରହିଲି ତୋର ଆସିବାକୁ ଚାହିଁ ।

ଛନ୍ଦରହିତ ପକ୍ଷୀ ପୋତ ପରାୟେ ଆକୃତି ଦଶାକୁ ବହି ।

ଛଛନ୍ଦ ହୋଇ ଦୂତୀ ବେଗେ ଚଳିଲା । କ୍ଷତିମଣ୍ଡନକୁ ରଖି ।

କ୍ଷୁଦ୍ରମତି ଦୀନ କୃଷ୍ଣ କହେ ଯେହ୍ନେ ଦୁଅରେ ବସାଇ ଭୋଖୀ ।୩୪।

Image

 

ଚିଟାଉ ଚଉତିଶା

ରାଗ ଚକ୍ରକେଳି

କମଳନେତ୍ର ଦୂତିକୁ ବୁଝାଇ

ଖରେ ପଠିଆନ୍ତି ବିନୟ ହୋଇ

।।

ଗଜଗମନୀକୁ କହିବୁ ଯାଇଁ

ଘନତିମିରରେ ବୁଡ଼ିଛି ମୁହିଁ

।।

ଅଳପଅପାଙ୍ଗୀ ହୃଦସମ୍ପଦ

ଚଳି ବିହି ଘଟାଇଲା ବିଚ୍ଛେଦ

।।

ଛଟକଚାହାଣି ତାହାର ଯାହା

ଜୀବ ଯିବା ଯାଏ ନ ଭୁଲେ ତାହା

।।

ଝିନବସ୍ତ୍ର ପିନ୍ଧିଥିଲା ସୁକେଶୀ

ନବକୁଚ ଉଚ୍ଚ ଥିଲା ଯେ ଦିଶି

।।

ଟେକ କରି କଥା କହିଲି ଯେତେ

ଠିକେ କୃପା ବହି ନ କହି ମୋତେ

।।

ଡମ୍ବରୁଧରଙ୍କ ଆଶ୍ରେ ଧ୍ୟାୟିଲା

ଢାଳେ ମୋତେ ଦୟାସେନ ବହିଲା

।।

ଅଳପହାସୀ ପଲକ ପରାୟେ

ତରୁଗହଳେ ନ ଛାଡ଼ିଣ ଯାଏ

।।

ଥିର ହୋଇ କରେ ବିବିଧ ଲୀଳା

ଦମ୍ଭ ଦିଏ ମୋତେ ସେ ନବବାଳା

।।

ଧକା ଦେଲା ଦେଖି କାମଜଳକୁ

ନିରାଶ କଲା କିପାଁ ଏ ବେଳକୁ

।।

ପାଲରେ ପକାଇ ବୃକ୍ଷେ ଚଢ଼ାଇ

ଫିଟା ମାନସରେ ମୂଳ କାଟଇ

।।

ଦନଜମୁଖୀର ଏମନ୍ତ ରୀତି

ଭାବିଲି ନ ଜାଣି କରିଣ ପ୍ରୀତି

।।

ମଧୁରବଚନେ ମନ ତୋଷିଲା

ଯବାଅଧରେ ଏମନ୍ତ ଭାଷିଲା

।।

ରଜନୀରେ ଥାଇ ନିକୁଞ୍ଜବନେ

ଇଳିତା ଆଦି ସହଚରିମାନେ

।।

ବୋଲେ ଛୁଅ ନାହିଁ ଅଙ୍ଗ ମୋହର

ସୁଧା ନେବାର ମନୁ ପରିହର

।।

ଶଶିମୁଖୀ ମୋତେ କଲା ନିରାଶ

ସହଚରୀ କହ ରାଧିକା ପାଶ

।।

ହରଷେ ଦୂତୀ ଗଲା ରାଧା ପୁର

କ୍ଷମେ ଲକ୍ଷ୍ମୀନାରାୟଣ ପାମର

।।

Image